Unknown

 

 

 

 

 

 

 

 

 

 

ଚନ୍ଦ୍ରଭାଗା

କବିବର ରାଧାନାଥ ରାୟ

 

ଅଭିଷେକୋତ୍ସବ ଦର୍ଶନ

ଆଶେ ସିଂହ ଦୁଆରେ

ବିଜେ ଆଉ ଦେବ-ଦେବୀଏ

ଯେଝା ପୂଜା ସମ୍ଭାରେ ।

 

କେତକ-କାନନ-ସଙ୍କୁଳ

ରମ୍ୟ ସିକତାସ୍ଥଳ,

ଛାଡ଼ି ହରଚଣ୍ଡୀ ଆଗତ

ଆଜି ଶ୍ରୀନିଳାଚଳ ।

 

ଭଗବତୀ ବାଣପୁରରୁ

ଉପନୀତ ସ୍ୱଗଣେ,

ଶୋଲରୀ ଦେଖଇ ସ୍ୱମୁଖ

ଯହିଁ ହ୍ରଦ ଦର୍ପଣେ ।

 

ପ୍ରଭା ମଣ୍ଡଳରେ ମଣ୍ଡିତ

ତନୁ କନ‌କ ଗୋରା,

ତୈଲଙ୍ଗୀ ବସନ ଭୁଷଣେ

ପୁଣି ଦିଶଇ ତୋରେ ।

 

ଉଭା ସେ ଭୁବନ-ଈଶ୍ୱରୀ

ହେମଗିରିବାସିନୀ,

ଏକାମ୍ର କାନନ ଦେବତା

ବନ ପୁଷ୍ପ ଶୋଭିନୀ ।

 

ନରେନ୍ଦ୍ର ମଉଳି-କୁସୁମ-

ରେଣୁ ରକ୍ତଚରଣା,

ମୈନାକ ଶିଖର-ବାସିନୀ

ରଣପୁର ମଣ୍ଡନା ।

 

ନାବିକ-ଅର୍ଚ୍ଚିତ ଚର୍ଚ୍ଚିକା-

ଦେବୀ ବାଙ୍କୀ ଈଶ୍ୱରୀ,

ମହାନ‌ଦୀକୂଳେ ଯାହାଙ୍କ

ଅଧିଷ୍ଠାନ ଶିଖରୀ ।

 

ମଣ୍ଡନ୍ତି ବଦନ ମଣ୍ଡଳ

ଯେହୁ ସଦା ସୁହାଗେ,

ସରଣ୍ଡା ଦର୍ପଣ ଅଂଶୁପା

ଶତଦଳ ପରାଗେ ।

 

 

 

ବରୁଣୀ -ଶଇଳ-ଶିଖରେ

ପୁଣି ଯେହୁ ବସନ୍ତି,

ଧୂଅନ୍ତି ଯାହାଙ୍କ ଚରଣ

ଝର-ଲହରୀପନ୍ତି ।

 

ଏକାନ୍ତେ ସୁକାନ୍ତି-ତନୁଜା-

ତୀର-ଶୈଳବିହାର,

ଛାଡ଼ି ଦେବୀଦ୍ୱାର-ଚଣ୍ଡିକା

ବିଜେ ସିଂହଦୁଆର ।

 

ହାଟକଗଉରୀ କଟକ-

ଚଣ୍ଡୀ ନାଗରୀବେଶେ,

ଅମଳ ରଜତ କୁସୁମ

ଶୋଭେ ଶ୍ୟାମଳ କେଶେ ।

 

ସଙ୍କଟତାରିଣୀ ଝଙ୍କଡ଼-

ଦେବୀ ସିଂହ ସାରଳା,

ଭଲ୍ଲୁକ-ବିକଟ କାକଟ-

ପୁର ମହାମଙ୍ଗଳା ।

 

ଚିଲିକା ଲହରୀ ମାଳିକା

ଭେଦି ଗିରି ଉତ୍‌ଥିତ,

ଚଉଦିଗେ ନୀଳ ଚିଲିକା-

ବକ୍ଷ ତରଙ୍ଗାୟିତ ।

 

ଚନ୍ଦ୍ରାଲୋକେ ଯହିଁ ନିଶୀଥେ

ଜଳଦେବୀ ସଙ୍ଗୀତ,

ଶୁଣନ୍ତି ଚକିତେ ନାବିକେ

ଦୂରେ ବାହୁଁ ବୋଇତ ।

 

କାଳିଜାଈ ଦେବୀ ଆଗତ

ଛାଡ଼ି ସେ ଗିରିଚୂଡ଼ା,

ଦିଶଇ ପରମ ମଞ୍ଜୁଳ

ଶିରେ ତୈଲଙ୍ଗୀ ଜୁଡ଼ା ।

 

ମହୋଦ‌ଧି ଫେନପୁଞ୍ଜରୁ

ଜାତ ଯେତେ ଅପ୍‌ସରୀ,

ରମାଙ୍କର ବାଲ୍ୟସଙ୍ଗିନୀ

ସୁନ୍ଧୁ-ଶିରୀ-ସୁନ୍ଦରୀ ।

 

 

 

ସବିତା, କୋଣାର୍କ ଦେବତା

ନବଗ୍ରହ ବେଷ୍ଟିତ,

ମହାତେଜଃ ପୁଞ୍ଜବିଗ୍ରହ

ସିଂହଦ୍ୱାରେ ଶୋଭିତ ।

 

ରତି ରତିପତ ସେଠାବେ

ଆସି ମିଳିଲେ ଶେଷେ,

ଆଣିଥିଲେ ପୁଷ୍ପ ଭୂଷଣ

ସିନ୍ଧୁସ୍ଥତା ଆଦେଶେ ।

 

ରୂପ ରଚନାରେ ବିରଞ୍ଚି-

ଶିଳ୍ପ ସୀମା ଏ ବେନି,

ଅବନୀରେ ଅବା ଉପମା

କ‌ହ କି ଦେବି ଘେନି ?

 

ପ୍ରତିହାରୀ ଜୟ ବିଜୟ

ଛାଡ଼ିଦେଲେ ସରଣୀ,

ପଛେ ଆସି ଆଗେ ପଶିଲେ

ସ୍ମର, ସ୍ମରରମଣୀ !

 

ସ୍ୱଭାବେ ସର୍ବତ୍ର ବେନିଙ୍କ

ଗତି ଅପ୍ରତିହତ,

ସୂର୍ଯ୍ୟ ନ ବୁଝିଲେ ଏ କଥା

ହେଲେ ମର୍ମ-ଆହତ ।

 

ମହୋତ୍ସବ ସାରି ସକଳେ

ସ୍ୱର୍ଗଦ୍ୱାରେ ମିଳିଲେ,

ଯେଝା ପୁରେ ଯିବା ମାନସେ

ନିଜ ଯାନେ ଚଢ଼ିଲେ ।

 

ବେଗେ ଦେବ ଦେବୀ ସ୍ୱପୁରେ

ଗଲେ ନ ପାହୁଁ ନିଶି,

ସିନ୍ଧୁଜାତ ଯେତେ ଅପ୍‌ସରୀ

ଗଲେ ତରଙ୍ଗେ ମିଶି ।

 

ଯିବାବେଳେ ରବି କାମଙ୍କୁ

କୋପଚକ୍ଷୁରେ ଚାହିଁ,

କ‌ହିଲେ, ‘‘ଛଡ଼ାଇ ଦେବିଟି

ତୋର ଏହି ବଡ଼ାଇ ।

 

 

 

ସ୍ତ୍ରୈଣଜନ ମନ ମଜାଇ

ତୋର ଏଡ଼େ ଗୁମାନ,

ତେଜସ୍ୱୀ-ଧର୍ଷଣ-ପ୍ରମାଦେ

ଦିନେ ଯିବ ତୋ ପ୍ରାଣ ।

 

ହର-କୋପାନଳେ ଥରେ ତୁ

ଜଳିଥିଲୁ ମଦନ,

ପୁଣି ଜଳିବାକୁ ଏ ଦେହେ

ପରା ବଳିଛି ମନ ।

 

ସଂସାରେ ଯାବତ କଳଙ୍କ

ତାର ଅଟୁ କରତା,

ନାରୀ, ନାରୀରଙ୍କ ନରଙ୍କ

ତୁହି ଅଟୁ ଦେବତା ।

 

ଛାର ଫୁଲଧନରୁ ଧରି ତୁ

ସୁରେ ବୋଲାଉ ଶୂର,

ଲଜ୍ଜା ଯାର ନାହିଁ ପାରେ ସେ

ହେଳେ ଜିଣି ତ୍ରିପୁର ।

 

ଶୁଣି ସୂର୍ଯ୍ୟବାଣୀ କ‌ହ‌ନ୍ତି

ହସି ହସି ମଦନ,

‘‘ଜଗତେ କେ ଲଙ୍ଘି ପାରିବ

ଫୁଲଧନୁ ଶାସନ ?

 

ଯେତେ ଦମ୍ଭ କର ହେଲେ ମୁଁ

ଦମ୍ଭ ହରିବି ଦିନେ,

ତୁମ୍ଭ ପ୍ରତିକୂଳେ ତୁମ୍ଭଙ୍କୁ

ସାକ୍ଷୀ କରିବି ଦିନେ ।

 

ତମୋଦମ୍ଭହର ଜଗତେ

ତୁମ୍ଭ କର ସରି କେ ?

ଦମ୍ଭି-ଦମ୍ଭ-ହର ତେସନ

ଫୁଲଶର ସରି କେ ?

 

ଦାରୁଭେଦକ୍ଷମ ଭ୍ରମର

ପଶି କମଳ କୋଳେ,

ପାସୋରେ ଆପଣା ବିକ୍ରମ

ପ୍ରେମ-ମୋହ‌ନ-ଭୋଳେ ।

 

 

 

ସୁକୁମାରପଣେ ନଳିନୀ

ତୁଲେ କେ ଅଛି ଆନ ?

ତା ସଙ୍ଗେ ଛନ୍ଦିଲା ତୁମ୍ଭଙ୍କୁ

ସିନା ଫୁଲ କମାଣ ?

 

ଯେ ଯେଡ଼େ ତେଜସ୍ୱୀ ତା ତେଜ

ମୋତେ ଅଛଇ ଜଣା,

ଫୁଲଶର ଆଗେ ପଡ଼ିଲେ

ବୁଦ୍ଧି ହୁଅଇ ବଣା ।’’

 

ଏହା କ‌ହି ଦେବ କୁସୁମ

ଧନୁ ପ୍ରିୟା ସଙ୍ଗତେ,

ଅନ୍ତରୀକ୍ଷେ ଲୁଚି ରହିଲେ

ମୀନ‌କେତନ ରଥେ ।

 

ପ୍ରତିକ୍ଷଣ ଦେବ ପାଞ୍ଚିଲେ

ପ୍ରତିଶୋଧ ଭିଆଣ,

ବାଲେଶ୍ୱରେ ଦିବ୍ୟ ସୁଯୋଗ

ଜାଣି ଶାଣିଲେ ବାଣ ।

 

ସୁମନ୍ୟୁ ନାମରେ ପରଶୁ

ରାମ ଶିଷ୍ୟ ପ୍ରବର,

ମହୋଦ‌ଧିତୀରେ ସମାଧି

ଯୋଗେ ଥିଲେ ତ‌ତ୍ପର ।

 

ଚନ୍ଦ୍ରଭାଗା ନାମେ ଦୁହିତା

ସେହି ଋଷି ପ୍ରଭାବେ,

ସାଗର ଅପ୍‌ସରି ଗର୍ଭରୁ

ଜନ୍ମିଥିଲା ସେ ଠାବେ ।

 

ପାଳିଲେକ ଅତି ଯତନେ

ଯତି କନ୍ୟାରତନ,

ଯଥାକାଳେ ଅଙ୍ଗ ମଣ୍ଡିଲା

ଅଭିନବ ଯୌବନ ।

 

ନେତ୍ର‌ଯୁଗେ ଯୁବା ପିଅନ୍ତି

ଯେଉଁ ରୂପ-ଅମୃତ,

ସେ ଅମୃତେ କଲା ଯୌବନ

ବାଳା ତନୁ ଧଉତ ।

 

 

 

ଶୋଭା ସେ ଲଭିଲା ଅପ୍‌ସରି

ଦିବ୍ୟ ଶୋଭାକୁ ବଳି,

ଫୁଟିଲା ଲାବଣ୍ୟ ସରସେ

ନବ କମଳକଳି ।

 

ସ୍ୱଭାବେ ସ୍ୱବର୍ଣ୍ଣ, ଯୌବନ

ହେଲା ଯୋଗ୍ୟ ରସାଣ,

ରୂପାସ୍ତ୍ରର ହେଲା ରୂପସୀ

ଷଷ୍ଠ ଅମୋଘ ବାଣ ।

 

ସତ୍ୟେ ଶକୁନ୍ତଳା ଯେମନ୍ତ

ରୂପରାଜ୍ୟେ ଅତୁଳା,

ଚନ୍ଦ୍ରଭାଗା ହେଲା କଳିଲେ

ଦିବ୍ୟ ଶୋଭାପିତୁଳା ।

 

ଥିଲେ ଚନ୍ଦ୍ରଭାଗା ଜନନୀ

ପୂର୍ବେ ବାଲ୍ୟ ସମୟେ,

ପ୍ରିୟ ସ‌ହଚରୀ ରମାଙ୍କ

ନୀଳ ବରୁଣାଳୟେ ।

 

ସଖୀ ଅନୁରୋଧେ ଇନ୍ଦିରା

ଦେଲେ କୋଠଭଣ୍ଡାରୁ,

ଚନ୍ଦ୍ରଭାଗା ପାଇଁ ବିବିଧ

ବସ୍ତ୍ର ଭୂଷଣ ଚାରୁ ।

 

କୁମୁଦ ହାସିନୀ ସୌନ୍ଦର୍ଯ୍ୟ

ମଦେ ସଦା ବିହ୍ୱଳ,

ପ୍ରମୋଦେ ଭ୍ରମଇ ପ୍ରମଦା

ସଦା ବିଜନ-ସ୍ଥଳ ।

 

ବିଷ ପ୍ରାୟେ ପ୍ରେମ ପ୍ରସଙ୍ଗେ

ସଦା ଅରୁଚି ତାର,

ପୁରୁଷ କଥାକୁ ଡରେ ସେ

କରେ ଦୂରୁ ଜୁହାର ।

 

କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନେ

କେବେ ରସିକ ଛାଡ଼େ ?

ମଧୁ ଥିଲେ ପୁଷ୍ପେ ଜତନେ

ଖୋଜି ମଧୁପ କାଢ଼େ ।

 

 

 

ଯେ ଅଟେ ଜଗତ ଜନର

ମନ-ନୟନ-କାରା,

ଅପ୍ରକଟ ହୋଇ ରହିବା

ପାଇଁ କାହିଁ ତା ଚାରା ?

 

ରୂପ ଆକର୍ଷଣ ପ୍ରବଳ

ନରେ କିବା ଅମରେ,

ଭୈମୀ ସ୍ୱୟମ୍ବରେ ପ୍ରମାଣ

ହୋଇଅଛି ସତରେ ।

 

ମଧୂର ପ୍ରଦୋଷ ସମୟ,

ସ୍ୱର୍ଣ୍ଣ-କିରଣ ବୋଳା,

କାଦମ୍ବିନୀ ଖେଳେ ଗ‌ଗନେ

ଧୀର ସମୀରଲୋଳା ।

 

ଗୋଧୂଳି ଗ‌ଗନ ସୁଚିତ୍ର

ଦିଶେ ଶତବରଣେ,

ଶତ ମନୋରଥ ଝଲକେ

ଯେହ୍ନେ ଆଶା-କାନନେ ।

 

କଇଁସାରିଲତା-ଶ୍ୟାମଳ

ବାଲିସ୍ତୂପର ଛାୟା,

ଦିବା ଅବସାନ ଦେଖିଣ

କ୍ରମେ ବିସ୍ତାରେ କାୟା ।

 

ବରୁଣୀ-ଦର୍ପଣ ପରାୟେ

ଝଳେ ସରସ ଲିଳ,

ସୁବର୍ଣ୍ଣ ଲହରୀ ସୃଜଇ

ତ‌ହିଁ ମନ୍ଦ ଅନିଳ ।

 

ନୀଳ ପାରାବାର ଅଦୂରେ

ଗାଏ ଅମର ଗୀତ,

ଅମର ତରଙ୍ଗ ନର୍ତ୍ତନେ

ବେଳା ହୁଏ ଧ୍ୱନିତ ।

 

ଶୁକ୍ତି-ତାରକିତ-ସୈକତେ

ଫେନଚୂଡ଼ ଲହରୀ,

ଚୁମ୍ବେ ଚନ୍ଦ୍ରଚୂଡ଼ ଚରଣ

ସ୍ତରେ ସ୍ତରେ ସଞ୍ଚରି ।

 

 

 

ନାନାଜାତି ପୁଷ୍ପପରାଗ

ଧୀରେ ହରେ ସମୀର,

ଗୁଡ଼ଜଙ୍କ ଘେନି କନ୍ଦୁକ

କ୍ରୀଡ଼ା କରେ ସମୀର ।

 

ଯୂଥ ଯୂଥ ହୋଇ ଭ୍ରମନ୍ତି

ନାନାରଙ୍ଗେ ହରିଣ,

ତରଙ୍ଗ ଚାହାଣି ଚାହାନ୍ତି

ଚାରୁ ଗ୍ରୀବା ତୋଳିଣ ।

 

କନ୍ଦୁକ କ୍ରୀଡ଼ାରେ ସୁନ୍ଦରୀ

ଆଜ ରତ ଏ ସ୍ଥଳେ,

ଉଠୁଛି ପଡ଼ୁଛି କନ୍ଦୁକ

ଚାରୁ କରକମଳେ ।

 

କନ୍ଦୁକର ଗତି କଳନ୍ତେ

କ୍ରୀଡ଼ା-ଲୋଳ-ଲୋଚନ,

ଚଳଭୂରୁ-ଚାରୁ-ନର୍ତ୍ତନ

ଦିଶେ କିବା ଶୋଭନ ।

 

ଲମ୍ବିତ ସୁଗୋଳ ନିତମ୍ବ-

ବିମ୍ବେ ହେମମେଖଳା,

ସ୍ତନାଙ୍କୁରେ ବ୍ୟସ୍ତେ ଦୋଳଇ

ମୋତିମାଳା ତରଳା ।

 

ଶ୍ରବଣେ ଦୋଳଇ କୁଣ୍ଡଳ,

ଦୋଳେ ନୀଳ ଅଳକ,

ଲାବଣ୍ୟଦର୍ପଣ ପରାୟେ

ଝଳେ ଗଣ୍ଡ-ଫଳକ ।

 

ଅର୍ଦ୍ଧେନ୍ଦୁ ଲ‌ଲାଟେ ସିନ୍ଦୂର

ବିନ୍ଦୁ ରମଇ ଆଖି,

ନୁହଇ ସିନ୍ଦୂର, ରହିଛି

ସ୍ମର-ହୃଦୟ ଲାଖି ।

 

ଦଶନ-ଅଂଶୁକ ମିଶଇ

ନାସାମଣି-ଅଂଶୁକେ,

ମୃଗମଦବିନ୍ଦୁ ସୁନ୍ଦର

ଶୋଭେ ଚାରୁ ଚିବୁକେ ।

 

 

 

କାମ-କାଳକୂଟ-କାଳିମା

ଭୁରୁଯୁଗଳ ଧରେ,

ପ୍ରବାଳଲତା କି ଅଧର,

ଆହା ରୂପସାଗରେ ।

 

ବିଳାସ-ବିଲୋଳ-ଲୋଚନ

ତାରା କନ୍ଦୁକ ସଙ୍ଗେ,

ଉଦ୍‌ବେଗେ ଭ୍ରମଇ ଚୌଦିଗେ

କିବା ମଧୁର ରଙ୍ଗେ ।

 

ତୁଟେ ଯୁବା ଧୈର୍ଯ୍ୟ-କବଚ

ପ୍ରତି କଟାକ୍ଷ-ତୀରେ,

ଉଠେ ନବ ଶୋଭା-ତରଙ୍ଗ

ପ୍ରତି ଅଙ୍ଗଭଙ୍ଗୀରେ ।

 

ଅସମ୍ଭାଳେ ଫିଟି କୁନ୍ତଳ

ଭୂମି ଯାଏ ପରଶି,

ଯେଣେ ଅନାଉଛି ଲଳନା

ଫୁଲ ଯାଏ ବରଷି ।

 

ଦୁକୂଳ କବରୀ ସମ୍ଭାଳୁ-

ଅଛି ଦକ୍ଷିଣେତରେ,

ଫିଙ୍ଗୁଛି ଧରୁଛ କନ୍ଦୁକ

ବାମା ଦକ୍ଷିଣ କରେ ।

 

ଶୋଭା-ସଦନାକୁ ମଦନ

ଦେଖି ହେଲେ ହରଷ,

ପ୍ରତିଫଳ ଦେବେ ରବିଙ୍କି

ମନେ ହେଲା ସାହସ ।

 

ଅକ କୋଣାର୍କରୁ ଏକାଳେ

ଆସୁଥିଲେ ଆକାଶେ,

ନୟନ ତାଙ୍କର ଦଇବେ

ଗଲା ସୁନ୍ଦରୀ ପାଶେ ।

 

ବନ୍ଧୁକ-ଅଧରୀ କନ୍ଦୁକ

ଫିଙ୍ଗି କର ପତାଇ,

ଚାରୁ ଭୂରୁ ରଙ୍ଗେ ନ‌ଚାଇ

ଦେଲା ଊର୍ଦ୍ଧ୍ୱକୁ ଚାହିଁ ।

 

 

 

ଏହି କାଳେ ଦୃଷ୍ଟି ରବିଙ୍କ

ବାଳା ବରବଦନେ,

ପଡ଼ିଲା, ଉଡ଼ିଲା ହୃଦୟ,

ଧୈର୍ଯ୍ୟ ବୁଡ଼ିଲା କ୍ଷଣେ ।

 

ଉଭା ଶୋଭା ଦେଖି ରବିଙ୍କ

ଭାବସିନ୍ଧୁ ଉଛଳେ,

ଅବସର ଏବେ ବୁଝିଲେ

ମନୋଭବ କୌଶଳେ ।

 

ଫୁଲକାଣ୍ଡ ଫୁଲକୋଦଣ୍ଡ

ଚାଣ୍ଡେ ଆକର୍ଣ୍ଣ ଟାଣି,

ସମ୍ମୋହ‌ନବାଣ ରବିଙ୍କ

ଦେଲେ ହୃଦୟେ ହାଣି ।

 

ବିପରୀତେ ମୀନ‌କେତନ

ଖଞ୍ଜି ସେ ଫୁଲଶର,

ବିରାଗେ ମୃଗାକ୍ଷୀଗଞ୍ଜିନୀ

ତନୁ କଲେ ଜର୍ଜର ।

 

ଅନୁରାଗ ମନେ ଉପୁଜେ

ଯେଉଁ କୁସୁମ ବାଣେ,

ଓଲଟା ଯୋଖିଲେ ସେ ବାଣ

ପୁଣି ବିରାଗ ଆଣେ ।

 

ଫଳେ ଅନୁରାଗ, ବିରାଗ

କଙ୍କପତ୍ରେ ତାହାର,

ପରିଣାମେ ତେଣୁ ବିରସ

ମନୋଭବ ବିକାର ।

 

ବିପ୍ର‌ଯୁବାବେଶେ ମିହିର

ବାଳା ସମୀପେ ଗଲେ,

ସ୍ୱର୍ଣ୍ଣତାଳ ପ୍ରାୟେ ଶରୀର

ଚଉଦିଗେ ଉଜଳେ ।

 

ମେରୁଗିରି ତଟେ ଅମର

ଧୂନୀ ଯଥା ଶୋଭିତ,

ଶୁଭ୍ର ଉପବୀତ ତେସନ

ସ୍କନ୍ଧଦେଶେ ଲମ୍ବିତ ।

 

 

 

ମିହିରଙ୍କୁ ଦେଖି ନିକଟେ

ନାରୀ ମୁକୁଟହୀରା,

ବେଗେ ପଳାଇଲା ଛଇଳା

ଲାଜ ଭୟେ ଅଧୀରା ।

 

ବିଦ୍ୟୁତବରନୀ ବିଦ୍ୟୁତ-

ବେଗେ ଧାଏଁ ବେଳାରେ,

ଯେତେ ଦୂର ଯାଏ ରବିଙ୍କ

ମନ ତେତେ ଓଟାରେ ।

 

ଅଧୀରେ ସ‌ହସ୍ରଦୀଧିତି

ଧୀରା ପଛେ ଗୋଡ଼ାଇ,

ଧନୀକି ସମ୍ବୋଧି କାତର-

ସ୍ୱରେ କ‌ହ‌ନ୍ତି ରାଇ ।

 

"କାହିଁ ପଳାଉଛୁ ସୁନ୍ଦରୀ,

ହୋଇ ଏଡ଼େ କାତର,

ଚରଣକିଙ୍କର ଜନ‌କୁ

କିପାଁ ଏଡ଼େ ତୋ ଡର ?

 

ଚଞ୍ଚଳାକ୍ଷ ! ତୁ କି ପାଞ୍ଚିଲୁ

ମୋତେ ବ୍ରାହ୍ମଣ କରି ?

ବଞ୍ଚାଇ ରଖିଛି ବିଶ୍ୱକୁ

ସିନା ତେଜ ମୋହରି ।

 

ବିଶ୍ୱଚକ୍ଷୁ ମୁହିଁ ତପନ

ତ୍ୱିଷାମ୍ପତି ମୋ ନାମ,

ପ୍ରଭାପୁଞ୍ଜ ଯେତେ ଜଗତେ

ତାର ଅଟେ ମୁଁ ଧାମ ।

 

ବନ୍ଧା ମୋର ସ୍ନେହ-ରଜ୍ଜୁରେ

ଏହି ଚାରୁ ସୃଜନ,

ଛିଣ୍ଡିଲେ ସେ ରଜ୍ଜୁ ଉତ୍ପାତେ

ସର୍ବେ ହେବେ ନିଧନ ।

 

ବର୍ଷ ମାସ ଦିନ ଲିତ୍ୟାର

ମୁହିଁ ଅଟେ ଅଧିପ,

ଖଟନ୍ତି ଋତୁଏ ସେବକ

ପ୍ରାୟେ ମୋର ସମୀପ ।

 

 

 

ଚିତ୍ରକର ପ୍ରାୟେ ମୋ କର

ଚିତ୍ରୁଅଛି ସଂସାର,

ତ‌ହୁଁ ନବ ଶୋଭା ତରଙ୍ଗ

ଭବେ ଉଠେ ଅପାର ।

 

ଅସଂଖ୍ୟ କ୍ଷତ୍ରିୟ ଭୂପତି

ମୋର ବଂଶସମ୍ଭୂତ,

ପୂତ କଲେ ବଂଶ ଏ ବଂଶେ

ଜନ୍ମ ଲଭି ଅଚ୍ୟୁତ ।

 

କୋଣାର୍କ କ୍ଷେତ୍ରରେ ମୋହର

ଏହି ତୁଙ୍ଗ ମନ୍ଦିର,

ଉତ୍କଳ ଦେବୀଙ୍କ ମୁକୁଟ

ପ୍ରାୟେ ରାଜେ ରୁଚିର ।

 

ସୁରତରୁ-କୁଞ୍ଜେ ମଞ୍ଜୁଳ

ମୋର ମୈତ୍ରେୟ ବନ,

କୁସୁମ ସମ୍ପଦେ ବିରାଜେ

ଯହିଁ ଋତୁରାଜନ ।

 

ଭୋଜରାଜସତା ଲଭିଲା

ମୋତେ ଭଜି ଦ୍ୱାପରେ,

ମହାବିର୍ଯ୍ୟବନ୍ତ କୁମର

ନର-ହର୍ଯ୍ୟକ୍ଷ ନରେ ।

 

ମନ୍ତ୍ରବଳେ କୁନ୍ତି ଆକର୍ଷି

ମୋତେ ଆଣିଣ ଥିଲା,

ଆଣିଲୁ ଲାବଣ୍ୟ ରଜ୍ଜୁରେ

ବାନ୍ଧି ତୁହି ଛଇଳା ।

 

ରାଜରାଜେଶ୍ୱରୀ ସୁଷମା-

ରାଜ୍ୟେ ତୁହି ସୁନ୍ଦରୀ,

ଛାୟାମୟୀ ଛାୟା ନୁହେଁ ତୋ

ଦାସୀପଣକୁ ସରି ।

 

ପ୍ରଦକ୍ଷିଣ କରେ ମୋର ରଥ

ନିତ୍ୟ ମେରୁ ପର୍ବତ,

ଅସଂଖ୍ୟ ଅପ୍‌ସରୀ ଦେଖଇ

ବେଶଭୂଷାରେ ରତ ।

 

 

 

ଦେଖି ନାହିଁ କେବେ ଏମନ୍ତ

ମନୋହର ମାଧୁରୀ,

ଶୋଭା ଦେଖି ଶୋଭା-କମଳା

ଦୁଃଖେ ମରିବେ ଝୁରି ।

 

ନୟନ ନିମେଷ-ବିହୀନ

କରି ରଚିଲେ ବିଧି,

ସାର୍ଥକ କଲୁ ଏ ବିଧିକି

ତୁହି, ଲାବଣ୍ୟ ନିଧି ।

 

ଶତ୍ରୁ ମୁଁ ନୁହଇ ତୋହର,

କର ଯୋଡ଼ି ମାଗଇ,

ସ୍ଥିର ହୁଅ ମୃଦୁ ଚରଣେ

ବଡ଼ ବ୍ୟଥା ଲାଗଇ ।

 

ତ‌ହୁଁ ବଳି ବ୍ୟଥା ଲାଗଇ

ବାଳା ହୃଦେ ମୋହରି,

ସୁକୁମାରୀ ହୋଇ କଷଣ

ଏଡ଼େ ଲଭିଲୁ ଗୋରି !

 

ମୁହଁ ମାଡ଼ି ତଳେ କଚାଡ଼ି

ବାଳା ପଡ଼ିବୁ ଝୁଣ୍ଟି,

କୁଶାଙ୍କୁର ଯିବ କୋମଳ

ଚାରୁ ଚରଣ ଫୁଟି ।

 

ଛଞ୍ଚାଣ ମୁଖରୁ କପୋତ

ଏହି ରୂପେ ପଳାଏ,

ଶ୍ୱାନଠାରୁ ଭୀରୁ ଶଶକ

ପ୍ରାଣ ବିକଳେ ଧାଏଁ ।

 

ସିଂହଠାରୁ ଖରେ ପଳାଏ

ମୃଗ ଏ ରୂପେ ସିନା,

କିଣା କିଙ୍କରକୁ ଏ ଶଙ୍କା

କିପାଁ କରୁ ନବୀନା ।

 

ରଖ ଏ ଜୀବନ ସେବକ

ପଦେ ବରି ସୁନ୍ଦରୀ !

ତୋହ ଦୟା ବିନା ଗଲିଟି

ନିଶ୍ଚେ ସରି, ସୁନ୍ଦରୀ !’’

 

 

 

ବୃଥା ହେଲା ଏତେ ମିନତି

ଏତେ ଚାଟୁ ବଚନ,

ପଳାଇଲା ଋଷିକୁମାରୀ

ବେଗେ ହୋଇ ଉଚ୍ଛନ୍ନ ।

 

ବିରାଗେ ଧାଉଁଛି ଲଳନା,

ରାଗେ ଲୋକଲୋଚନ,

ବେନି ଭାବ ବେନି ହୃଦୟେ

କରେ ବେଗ ବର୍ଦ୍ଧନ ।

 

ମାୟାବିପ୍ରରୂପେ ପଶ୍ଚାତେ

ଅନୁସରନ୍ତି ହରି,

ଡୋରଲଗ୍ନ ଥୋପ ଯେସନ

ଅନୁସରେ ଶଫରୀ ।

 

ପଳାୟନେ ପୁଣି ସୁନ୍ଦରୀ

ଦିଶେ ସୁନ୍ଦରତର,

ଅସମ୍ଭାଳ-ବେଶ-ଭୂଷଣ

ଆହା କି ମନୋହର ।

 

ଶାଣଶୀର୍ଣ୍ଣ ପ୍ରାୟେ ଅଙ୍ଗନା-

ଅଙ୍ଗ ଚାରୁ ବଳନ,

ବାସନ ଉଡ଼ାଇ ଦେଖାଏ

ରଙ୍ଗେ ସିନ୍ଧୁ ପବନ ।

 

ଚୁମ୍ବି ଚରଣକୁ ଚିକୁର-

ରାଜି ଦୋଳେ ଚରମେ,

ମଦନ-କେତନ ଉଡ଼ଇ

କିବା ଶୋଭା ଆଶ୍ରମେ ।

 

କଳିବାକୁ ଏହି ସୌନ୍ଦର୍ଯ୍ୟ

ଧୈର୍ଯ୍ୟ ସୂର୍ଯ୍ୟଙ୍କୁ କାହିଁ ?

ନ ଧରିଲେ ସେହି ବାଳୀକୁ

ତାଙ୍କ ତ୍ରାହି ତ ନାହିଁ ।

 

ହେମାଙ୍ଗ ହଳଦୀବସନ୍ତ

ଦେଖି ଯେହ୍ନେ ସଞ୍ଚାଣ,

ଅନ୍ତରୀକ୍ଷେ ଧାଏଁ ସଳଖେ

କ୍ଷଣପ୍ରଭା ସମାନ ।

 

 

 

ଜୀବନ ବିକଳେ ସଭୟେ

ଖରେ ଧାଏଁ ଦୁର୍ବଳ,

ଖରତରବେଗେ ଜୀବିକା

ଆଶେ ଧାଏଁ ପ୍ରବଳ ।

 

ମୁହୁଃ ଚଞ୍ଚୁମୁନ ସଞ୍ଚାଣ

ପଛୁଁ କରେ ବିସ୍ତାର,

ମଣେ କରଗତ ପଲକେ

ପରା ହେଲା ଶିକାର ।

 

ହଳଦୀବସନ୍ତ ଏକାନ୍ତ

ପ୍ରାଣ ଭୟେ ଅସ୍ଥିର,

କ୍ଷଣେ ଧୃତ କ୍ଷଣେ ମୁକତ

ମଣେ ନିଜ ଶରୀର ।

 

କାଞ୍ଚନ-ପୁଚ୍ଛକୁ ସଞ୍ଚାଣ

ଚଞ୍ଚୁକ୍ଷଣେ ପରଶେ,

ଚଞ୍ଚଳେ ଏଡ଼ାଇ ଶିକାର

ଖରେ ତୀର୍ଯ୍ୟକେ ଖସେ ।

 

ଏହି ରୂପେ ହରି ଧାଆନ୍ତି

ପ୍ରେମ‌ଭୋଳେ ବିହ୍ୱଳ,

ଅବଳା ବାଳାକୁ ଏରୂପେ

ଭୀତି ଦିଅଇ ବଳ ।

 

ହରିଣଲୋଚନା ଏରୂପେ

ଧାଏଁ ଉତ୍ତରମୁଖେ,

ଉତ୍ପକ୍ଷ୍ମଲୋଚନେ ହରିଣେ

ଦୂରୁ ଦେଖନ୍ତି ଦୁଃଖେ ।

 

ଅତି ଦୃତବେଗେ ଦଉଡ଼ି

ଅବସାଦେ ଜଡ଼ତ,

ଊର୍ଦ୍ଦ୍ୱଶ୍ୱାସେ ଧନୀ ଉଦ‌ଧି-

କୂଳେ ହେଲା ସ୍ଥଗିତ ।

 

କଣ୍ଠାଗତ ପ୍ରାଣ କାରୁଣ୍ୟ-

ମୂର୍ତ୍ତି ପ୍ରାୟେ ବରାକୀ

ହାତ ଯୋଡ଼ି ନିଜ ମାତାଙ୍କୁ

କ‌ହେ ଉଦ୍ଦେଶ୍ୟେ ଡାକି ।

 

 

 

‘‘ଦୁଃଖ ଫେଡ଼ ମୋର, ଜନନୀ,

ହର ଏ ରୂପ ମୋର,

ବିଭୂଷଣ ହୋଇ ହେଲା ଏ

ସିନା ଦୂଗଣ ଘୋର ।

 

ଦିବ୍ୟ ରୂପ ତୋର, ତା ସଙ୍ଗେ

ଅଛି ଦିବ୍ୟ ଶକତି,

ଶକ୍ତିହୀନ ରୂପ କେବଳ

ସିନା ଲଭେ ଦୁର୍ଗତି ।

 

ଭୂତଧାତ୍ରି ମାତଃ ବସୁଧେ,

ଦ୍ୱିଧା ହୁଅ ତୁ ଲବେ,

ଶରଣ ସମ୍ଭାଳ, ଆଶ୍ରୟ

ମୋତେ ଦିଅ ଗରଭେ ।’’

 

ଏମନ୍ତ କ‌ହ‌ନ୍ତେ ଉଠିଲା

ଊର୍ମି ପର୍ବତାକାର,

ନୀଳ ବାହୁ ନୀଳ ସାଗର

କିବା କଲେ ବିସ୍ତାର ।

 

ମହାକଳରବେ ଉଡ଼ିଲେ

ନଭେ ଜଳ-ବିହ‌ଙ୍ଗ,

ବେଳାମୁଖେ ମାଡ଼ିଆସିଲା

ବିଶ୍ୱଗ୍ରାସୀ ତରଙ୍ଗ ।

 

ମିଶିଯାଏ ଯଥା ପ୍ରଭାତି

ତାରା ରବି କିରଣେ,

ମିଶିଯାଏ ଯଥା ଜୀବାତ୍ମା

ବିଶ୍ୱ-ଆତ୍ମା ଚରଣେ ।

 

ମିଶିଯାଏ ଯଥା ଚପଳା

ନୀଳ ଜଳଦ ଅଙ୍ଗେ,

ମିଶିଗଲା ତ‌ଥା ଅବଳା

ସେହି ନୀଳ ତରଙ୍ଗେ ।

 

ସ୍ତମ୍ଭୀଭୂତ ହୋଇ ରହିଲେ

ରବି ମହାବିସ୍ମୟେ,

ଭୟ ଏତେଦିନେ ପଶିଲା

ଭୟଶୂନ୍ୟ ହୃଦୟେ ।

 

 

 

ଘନ‌ଘୋଷ ପ୍ରାୟେ ଏକାଳେ

ହେଲା ଶବ୍ଦ ଭୈରବ,

ଚକିତେ ଚାହିଁଲେ ପଶ୍ଚିମେ

ପ୍ରଭୁ ଅବ୍‌ଜବାନ୍ଧବ ।

 

ଭୂମିସାତ ଦେବ ଦେଖିଲେ

ନିଜ ପ୍ରିୟ ଦେଉଳ,

ଉତ୍କଳ ଭୁବନେ ଦେଉଳେ

ଯାହା ଥିଲା ଅତୁଳ ।

 

ଧ୍ୟାନ ଯୋଗେ ଜାଣି ସୁମନ୍ୟୁ

ସୂର୍ଯ୍ୟ କାର୍ଯ୍ୟକଳାପ,

କୋପାନଳେ ଜଳି ତପସ୍ୱୀ

ଦେଲେ ଦାରୁଣ ଶାପ ।

 

ସେହି ଶାପ ଯୋଗୁ ପଡ଼ିଲା

ତଳେ ଦେଉଳରାଜ,

ଦିବୁଁ ଦେବଶିଳ୍ପୀ ଯା ଦେଖି

ଲଭିଥିଲେ କି ଲାଜ ।

 

ବିଷମ କୁସୁମ କୋଦଣ୍ଡ

ଦଣ୍ଡ ଲଭିଣ ଭଲେ,

ବିମନା ହୋଇଣ ମାର୍ତ୍ତଣ୍ଡ

ଗଲେ ନିଜ ମଣ୍ଡଳେ ।

 

କୋଣାର୍କ କ୍ଷେତ୍ରରୁ ଉଠିଲା

ଅର୍କପୂଜା ବିଧାନ,

ପରିଣତ ହେଲା ସେ ଦିନୁ

ମରୁରୂପେ ସେ ସ୍ଥାନ ।

 

ସେ ପୂର୍ବ ଗୌରବ-ସାକ୍ଷିଣୀ

ମୁଖଶାଳା ମାତର,

ପ୍ରତିଧ୍ୱନି ଛଳେ ପାନ୍ଥକୁ

ଏବେ ଦିଏ ଉତ୍ତର ।

—୦—